ଓଡ଼ିଶା ରାଜନୀତିରେ ‘ଲୁଙ୍ଗି ଡ୍ୟାନ୍ସ’: ଧର୍ମେନ୍ଦ୍ରଙ୍କୁ ଜବାବ ଦେବାକୁ ବିଜେଡି ପ୍ରଚାର କଲା ନୂଆ ଲୁକ୍‍
Advertisement
Article Detail0/zeeodisha/odisha2218352

ଓଡ଼ିଶା ରାଜନୀତିରେ ‘ଲୁଙ୍ଗି ଡ୍ୟାନ୍ସ’: ଧର୍ମେନ୍ଦ୍ରଙ୍କୁ ଜବାବ ଦେବାକୁ ବିଜେଡି ପ୍ରଚାର କଲା ନୂଆ ଲୁକ୍‍

ପ୍ରଶ୍ନ ଉଠୁଛି, ସମ୍ବଲପୁର ହସ୍ତତନ୍ତ ଏହାର ସ୍ୱତନ୍ତ୍ର ବାନ୍ଧ କଳା ପାଇଁ ପ୍ରସିଦ୍ଧ। କିନ୍ତୁ ଏ ଦୁଇ ବିଜେଡି ନେତାଙ୍କୁ ସମ୍ପୂର୍ଣ୍ଣ ‘ଏକକ ରଙ୍ଗ’ର ରଙ୍ଗୀନ ଲୁଙ୍ଗି ପିନ୍ଧିଥିବା ଦେଖିବାକୁ ମିଳିଛି। ଏଥିରେ ସମ୍ବଲପୁରର କୌଣସି ସ୍ୱତନ୍ତ୍ର ଛାପ ନାହିଁ। 

ଓଡ଼ିଶା ରାଜନୀତିରେ ‘ଲୁଙ୍ଗି ଡ୍ୟାନ୍ସ’: ଧର୍ମେନ୍ଦ୍ରଙ୍କୁ ଜବାବ ଦେବାକୁ ବିଜେଡି ପ୍ରଚାର କଲା ନୂଆ ଲୁକ୍‍

ଭୁବନେଶ୍ୱର: ବଲିଉଡ୍‍ ଅଭିନେତା ଶାହାରୁଖ୍‍ ଖାନ୍‍ଙ୍କ ଅଭିନୀତି ‘ଚେନ୍ନାଇ ଏକ୍ସପ୍ରେସ୍‍’ ଫିଲ୍ମର ‘ଲୁଙ୍ଗି ଡ୍ୟାନ୍ସ’ ଗୀତ ସେତେବେଳେ ବେଶ୍‍ ଚହଳ ସୃଷ୍ଟି କରିଥିଲା। ପିଲାଠାରୁ ବୁଢ଼ାଯାଏ ସମସ୍ତଙ୍କୁ ଏହି ଗୀତରେ ରିଲ୍ସ ତିଆରି କରିବା, ସାମାଜିକ ଗଣମାଧ୍ୟମରେ ଶେୟର କରିବା ତଥା ମୋବାଇଲ୍‍ ରିଂଟୋନ୍‍ ରଖିବା ଆଦି ଦେଖିବାକୁ ମିଳିଥିଲା। ହେଲେ ସବୁ କଥାର ପ୍ରଭାବ ଓଡ଼ଧିଶା ଉପରେ ଡେରିରେ ପଡ଼ିଲା ପରି ଓଡ଼ିଶା ରାଜନୀତିରେ ୧୧ ବର୍ଷ ପରେ ଏହି ଗୀତ ଓ ଲୁକ୍‍ର ପ୍ରଭାବ ପଡ଼ିଛି। ଶାସକ ବିଜେଡି ନିଜ ମୁଖ୍ୟଙ୍କୁ ଲୁଙ୍ଗି ପିନ୍ଧାଇ ପ୍ରଚାର ଆରମ୍ଭ କରିଥିବା ବେଳେ ଏବେ ଏହାର ନେତା ଓ କର୍ମଚାରୀମାନେ ମଧ୍ୟ ଗଣମାଧ୍ୟମ ଆଗରେ ଲୁଙ୍ଗି ଓ ଶର୍ଟ ପିନ୍ଧି ଏକ ‘ଦକ୍ଷିଣୀ’ ଛୁଙ୍କ ମାରିଛନ୍ତି। 

ଏହି ଡ୍ରେସ କୋଡ୍‍ ପଛରେ ବିଜେଡିର ଏକ ବଳିଷ୍ଠ ଯୁକ୍ତି ରହିଛି। ତାହା ହେଲା ବୁଣାକାରଙ୍କୁ ସମର୍ଥନ। ଯେହେତୁ ସମ୍ବଲପୁର ଏକ ବୁଣାକାର ଅଧ୍ୟୁଷିତ ଅଞ୍ଚଳ ଏବଂ ଏଠାର ସୂତା ତିଆରି କପଡ଼ା ସାରା ଦେଶ ତଥା ବିଦେଶରେ ନାଁ କରିଛି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଏହାକୁ ସେଥିଲାଗି ଆପଣାଇଛନ୍ତି। ଅର୍ଥାତ୍‍ ମୁଖ୍ୟମନ୍ତ୍ରୀଙ୍କ ଏହି ‘ନ୍ୟୁ ଲୁକ୍‍’କୁ ଯଦି କିଏ ସମାଲୋଚନା କରେ ତେବେ ସେ ସିଧାସଳଖ ସମ୍ବଲପୁରର ବୁଣାକାରଙ୍କୁ ହିଁ ସମାଲୋଚନା କରୁଛି ବା ହତୋତ୍ସାହିତ କରୁଛି। ଏ କଥାକୁ ବିଜେଡି ପ୍ରେସ୍‍ ରିଲିଜ୍‍ ମାଧ୍ୟମରେ ସ୍ପଷ୍ଟ କରିସାରିଛି।  ଆଉ ଯେତେବେଳେ ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ବିଷୟକୁ ଉଠାଇଛନ୍ତି ତାଙ୍କୁ ଜବାବ ଦେବାକୁ ଯାଇ  ଆଜି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର ଲୁଙ୍ଗି ଲୁକରେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଅର୍ଥାତ୍‍ ଯାହା କେବେ ଓଡ଼ିଶାରେ ହୋଇ ନଥିଲା ତାହା ହୋଇଛି। ପ୍ରଶ୍ନ ଉଠୁଛି, ସମ୍ବଲପୁର ହସ୍ତତନ୍ତ ଏହାର ସ୍ୱତନ୍ତ୍ର ବାନ୍ଧ କଳା ପାଇଁ ପ୍ରସିଦ୍ଧ। କିନ୍ତୁ ଏ ଦୁଇ ବିଜେଡି ନେତାଙ୍କୁ ସମ୍ପୂର୍ଣ୍ଣ ‘ଏକକ ରଙ୍ଗ’ର ରଙ୍ଗୀନ ଲୁଙ୍ଗି ପିନ୍ଧିଥିବା ଦେଖିବାକୁ ମିଳିଛି। ଏଥିରେ ସମ୍ବଲପୁରର କୌଣସି ସ୍ୱତନ୍ତ୍ର ଛାପ ନାହିଁ। 

ଅପରପକ୍ଷେ ଯେଉଁ ଲୁକ୍‍ ଏମାନେ ଦେଇଛନ୍ତି ତାହା ଦକ୍ଷିଣ ଭାରତୀୟ ନେତାଙ୍କ ଫାଲଟା ମରା ଧୋତି ପିନ୍ଧିଲା ଭଳି ଦିଶୁଛି। ଅର୍ଥାତ୍‍ ଏଥିରେ ଓଡ଼ିଶାର କୌଣସି ଛାପ ଦେଖିବାକୁ ମିଳୁ ନାହିଁ। ଯେଉଁ ପ୍ରକାରେ ମୁଖ୍ୟମନ୍ତ୍ରୀ ତାଙ୍କର ପ୍ରଚାର ଦୁଇ ହାତରେ ଯୋଡ଼ି ଶଙ୍ଖ ଧରି ଲୁଙ୍ଗି ପିନ୍ଧି ଆରମ୍ଭ କରିଥିବା ଦେଖିବାକୁ ମିଳିଛି ତାହାକୁ ମଧ୍ୟ ସୋଶାଲ ମିଡିଆରେ ସମାଲୋଚନା କରାଯାଇଛି।    ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଏପରି ଏକ ପୋଷ୍ଟିଂ ଉପରେ ମତ ଦେଇ ଦେବାଶୀଷ ଷଡ଼ଙ୍ଗୀ ଲେଖିଛନ୍ତି, ‘ଜାଣିପାରୁନି ଏମିତି ସେମାନେ କହିକି କରିଛନ୍ତି। ଏହା ଜନତାଙ୍କ ଭିତରେ ବିଜେଡିର ନିରାଶା ଭାବକୁ ଦର୍ଶାଇବ। ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା ଲାଗି ଅନେକ ଉପାୟ ଅଛି। ବ୍ରାଣ୍ଡ କନ୍‍ସଲଟାଣ୍ଟ ଠିକ୍‍ କାମ କରି ନାହାନ୍ତି ବରଂ ମୁଁ ଅଧିକ ଭଲ କରିଥାଆନ୍ତି ବୋଲି ସେ କହିଛନ୍ତି। 

 

ଓଡ଼ିଶାରେ ଲୋକ ଲୁଙ୍ଗି ପିନ୍ଧତି ଏହା ସତ୍ୟ। କିନ୍ତୁ ରାଜନୀତିରେ ଲୁଙ୍ଗିର ପ୍ରୟୋଗ କେବେ ହୋଇ ନଥିଲା। ଏଠାରେ ରାଜନୀତିକ ଲୋକଙ୍କ ପରିଚୟ କହିଲେ ଧୋତି ଓ କୁର୍ତ୍ତା ଥିଲା, ଯାହା ଏବେ ଡେନିମ୍‍ ଜିନ୍ସ ଓ ଧଳା ଶର୍ଟରେ ପରିଣତ ହୋଇଛି। ଧୋତି ପିନ୍ଧା ରାଜନୀତିକ ନେତା ଡା. ଦାମୋଦର ରାଉତଙ୍କ ପରେ ଆଉ କୌଣସି ଦଳରେ ଦେଖିବାକୁ ମିଳୁ ନାହାନ୍ତି। ଯଦି ଧୋତି ପିନ୍ଧି ନବୀନ ଲୁକ୍‍ ଦେଇଥାଆନ୍ତେ ବା ନିଜର ଚିରାଚରିତ ପୋଷାକରେ ରହିଥାଆନ୍ତେ ତେବେ ହୁଏତ ‘ଡ୍ୟାମେଜ୍‍ କଣ୍ଟ୍ରୋଲ’ ପାଇଁ ଗଣମାଧ୍ୟମକୁ ଏପରି ଫଟୋ ବିତରଣ କରି ନଥାଆନ୍ତେ ।