Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1977381

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସୌ(ସୋସିଆଲ ମିଡିଆ)

Top 10 News Headlines: 1. ମାତ୍ର ୪ ଦିନରେ ଶେଷ ହେଲା ବିଧାନସଭା ଶୀତ ଅଧିବେଶନ। ନଭେମ୍ବର ୨୧ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଡିସେମ୍ବର ୩୦ ଯାଏଁ ଚାଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ୩୦ଟି କାର୍ଯ୍ୟ ଦିବସ ରହିଥିଲା । ହେଲେ ୨୬ ଦିନ ଆଗରୁ ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ। ଗୃହରେ ବିଶେଷ କିଛି କାର୍ଯ୍ୟ ନଥିବା ଦର୍ଶାଇ ଶୀତ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ଶାସକ ଦଳ ପ୍ରସ୍ତାବ ଦେଇଥିଲା । ଏହାକୁ ବାଚସ୍ପତି ଗ୍ରହଣ କରିଥିଲେ ।

2- ଉତ୍ତରକାଶୀ ଟନେଲରେ ଫସିଥିବା ୫ ଓଡ଼ିଆ ଶ୍ରମିକଙ୍କୁ ଭେଟିବାକୁ ଯିବେ ପରିବାର ଲୋକେ। ଏନେଇ ଆଜି ସକାଳ ୯ଟା ୪୫ ମିନିଟରେ ଭୁବନେଶ୍ବର ବିମାନବନ୍ଦରରୁ ଉତ୍ତରାଖଣ୍ଡ ଯିବେ ୩ ପରିବାର ସଦସ୍ୟଙ୍କ ସମେତ ଦୁଇ ଜଣ ଲେବର ଅଫିସର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଫସିଥିବା ଶ୍ରମିକଙ୍କ ସ୍ବାସ୍ଥାବସ୍ଥା ସମ୍ପୂର୍ଣ୍ଣ ଠିକ୍ ଥିବା ଜଣାପଡ଼ିଛି । ଓଡ଼ିଶାର ୨ ଶ୍ରମ ଅଫିସର ସେଠାରେ ଉପସ୍ଥିତ ଅଛନ୍ତି ।

3. କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ତିବିକ୍ରମ ବେଶ ଅନୁଷ୍ଠିତ ହୋଇଛି । ଏହି ବେଶରେ ଶ୍ରୀଜିଉ ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଛନ୍ତି । ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ଏହି ଚିତାକର୍ଷକ ବେଶ ଦର୍ଶନ କଲେ ଅପାର ଆନନ୍ଦ ସହ ଜନ୍ମଜନ୍ମାନ୍ତର ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ମହାପ୍ରଭୁଙ୍କ ଏହି ବେଶ ଦେଖିବାକୁ ଶ୍ରୀମନ୍ଦିରରେ ଆଜି ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

4. ଆଜିଠାରୁ ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା । ରାୟଗଡ଼ାସ୍ଥିତ ଜିସିଡ଼ି ପଡ଼ିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସରେ ବସ ସେବା ଉଦ୍ଦଘାଟନ କରିବେ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ବିଭାଗୀୟ ସଚିବ ଉଷା ପାଢୀ ମଧ୍ଯ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ମିଳିଛି ।

5. ମହା କାର୍ତ୍ତିକ ମାସର ଆଜି ବଡ ପର୍ବ ବଡ଼ ଓଷା । ପୀଠରେ ବଡ଼ ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ଆଜି ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସନ୍ଧିକ୍ଷଣରେ ବାବା ଧବଳେଶ୍ଵରଙ୍କ ପାଖରେ ଲାଗିହେବ ଗଜଭୋଗ ଓ ତରଣ। ବଡ଼ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦ୍ଯାପନ କରିଥାନ୍ତି। ସେଥିପାଇଁ ଆଜି ରାତି ୩ଟାରେ ଦ୍ଵାର ଫିଟାଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ, ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ନୀତିକାନ୍ତି ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା।

6. ରବିବାର ଦିନ ଦକ୍ଷିଣ ଆଣ୍ତାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ଦକ୍ଷିଣ ଆଣ୍ତାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର (Bay of Bengal) ଅଞ୍ଚଳରେ ଏକ ଲଘୁଚାପ (Low pressure) କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି । ତେବେ ଏହାପରେ ୨୯ ତାରିଖରେ ଏହା ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗକୁ ଗତି କରିବା ସହ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅଧିକ ଘନୀଭୂତ ହୋଇ ଅବପାତରେ (Depression) ପରିଣତ ହେବ । ଏହାର କୌଣସି ପ୍ରଭାବ ରାଜ୍ୟ ଉପରେ ପଡ଼ିବାର ବିଶେଷ ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

7: ଚୀନରେ ନିମୋନିଆ ଓ ଏଚ୯ଏନ୨ ଭୂତାଣୁ ସଂକ୍ରମଣ ବ୍ୟାପୁଥିବା ବେଳେ ଏହାର ମୁକାବିଲା ନେଇ ଭାରତ ସରକାର ପ୍ରସ୍ତୁତ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏନେଇ ଶୁକ୍ରବାର କେନ୍ଦ୍ର କହିଛି ଯେ, ଚୀନରେ ଶିଶୁଙ୍କଠାରେ ଶ୍ବାସକ୍ରିୟା ସଂକ୍ରମଣ ଜନିତ ରୋଗ ବ୍ୟାପୁଥିବା ଗଣମାଧ୍ଯମରେ ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଭାରତ ପ୍ରତି କୌଣସି ବିପଦ ନାହିଁ ।

8: ଯୁଦ୍ଧ ବିରାମ ପରେ ପ୍ରଥମ ଦିନରେ ମୁକୁଳିଲେ ୧୩ ଜଣ ଇସ୍ରାଏଲ୍ ପଣବନ୍ଦୀ । ବଦଳରେ ଇସ୍ରାଏଲ ଜେଲରେ ବନ୍ଦୀ ଥିବା ୩୯ ପାଲେଷ୍ଟିନୀୟଙ୍କୁ ମୁକ୍ତ କରାଯାଇଛି । ମୁକ୍ତ ହୋଇଥିବା ପାଲେଷ୍ଟିନୀୟଙ୍କ ମଧ୍ୟରେ ୨୪ ମହିଳା ଓ ୧୫ ଜଣ କିଶୋର ଅଛନ୍ତି । ସେମାନଙ୍କୁ ଇସ୍ରାଏଲ ଜେଲରୁ ୱେଷ୍ଟ ବ୍ୟାଙ୍କକୁ ନିଆଯାଇଥିଲା ।

9: ଏସୀୟ କ୍ରୀଡ଼ା ବିଜେତା ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚୀନ ମାଷ୍ଟର୍ସ ସୁପର ୭୫୦ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ଇଣ୍ଡୋନେସିଆର ବିଶ୍ବ ୧୩ ନମ୍ବର ଯୋଡ଼ି ଲିଓ ରୋଲି କାର୍ଣ୍ଣାଡୋ ଓ ଡାନିଏଲ୍‌ ମାର୍ଟିନଙ୍କୁ ସିଧାସଳଖ ୨୧-୧୬, ୨୧-୧୪ରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ କେବଳ ୪୬ ମିନିଟ୍‌ରେ ଶେଷ ହୋଇଯାଇଥିଲା।

10: କତାର ଦୋହାରେ ଅନୁଷ୍ଠିତ ISSF ବିଶ୍ବକପ ଫାଇନାଲ-୨୦୨୩ରେ ପୁରୁଷ ୨୫ ମିନିଟ୍ ରାପିଡ଼ ଫାୟାର ଇଭେଣ୍ଟରେ ବ୍ରୋଞ୍ଚ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ସୁଟର ଅନିଶ ଭାନାୱାଲା । ଏହି ଇଭେଣ୍ଟରେ ଏହା ଭାରତ ପାଇଁ ପ୍ରଥମ ପଦକ ଅଟେ। ଅନିଶ ଫାଇନାଲରେ ୨୭ ପଏଣ୍ଟ ସହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

Also Read-Weather Update: ବଙ୍ଗୋପସାଗରରେ ଆସୁଛି ଆଉ ଏକ ବାତ୍ୟା!