Odisha News Live Updates: କଟକ ବାରବାଟୀ ବିଧାୟକଙ୍କୁ ହାଇକୋର୍ଟରୁ ଝଟକା, ପଢ଼ନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2197151

Odisha News Live Updates: କଟକ ବାରବାଟୀ ବିଧାୟକଙ୍କୁ ହାଇକୋର୍ଟରୁ ଝଟକା, ପଢ଼ନ୍ତୁ ଆଜିର ଆଉ କିଛି ତାଜା ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ।

Odisha News Live Updates: କଟକ ବାରବାଟୀ ବିଧାୟକଙ୍କୁ ହାଇକୋର୍ଟରୁ ଝଟକା, ପଢ଼ନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

10 April 2024
23:34 PM

୨୦୨୪ ନିର୍ବାଚନ ପୂର୍ବରୁ ଶୁଆ ମାଲିକଙ୍କୁ ଉଠାଇନେଲା ପୋଲିସ; ଜାଣନ୍ତୁ କାରଣ
ତାମିଲନାଡୁ କୁଡ୍ଡାଲୋର ଅଞ୍ଚଳରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ଲାଗି ମତଦାନ ହେବା ପୂର୍ବରୁ ତାମିଲ ନାଡୁ ପୋଲିସ ୨ ଜଣ ଶୁଆ ମାଲିକଙ୍କୁ ଗିରଫ କରିଛି। ଯେଉଁମାନେ ଜ୍ୟୋତିଷ ଭଳି ରାସ୍ତାରେ ପିଞ୍ଜରାବଦ୍ଧ ହୋଇଥିବା ଶୁଆଙ୍କ ସହାୟତାରେ ଭବିଷ୍ୟବାଣୀ କରୁଥିଲେ। ଉଭୟେ ପତ୍ତାଲି ମକ୍କାଲ କଟାଚି (ପିଏମକେ) ପ୍ରାର୍ଥୀ ଥାଙ୍ଗର ବଚନଙ୍କ ବିଜୟ ବିଷୟରେ ପୂର୍ବାନୁମାନ କରିଥିଲେ। ପରେ ଉଭୟଙ୍କୁ ମୁକ୍ତ କରାଯାଇଥିଲା। ଜଣେ ବନ ବିଭାଗ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ପଢନ୍ତୁ ପୁରା ଖବର

 

22:32 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

ପଢନ୍ତୁ ପୁରା ଖବର

 

20:15 PM

ଧନୁ-ତୀର ପରି ଏହି ରାଜ୍ୟରେ ତିଆରି ହେଉଛି 'ଗ୍ଲାସ୍ ବ୍ରିଜ୍'; ଜାଣନ୍ତୁ ସାଧାରଣ ଜନତାଙ୍କ ପାଇଁ କେବେ ଖୋଲିବ?
କଂକ୍ରିଟ କିମ୍ବା କୌଣସି ଧାତବ ପଦାର୍ଥ ନୁହେଁ ବରଂ କାଚ ବ୍ୟବହାର ନିର୍ମାଣ କରାଯାଉଛି ପୋଲ। ଯାହାର ଆକାର ଧନୁ-ତୀର ଭଳି ହେବ। ଉତ୍ତର ପ୍ରଦେଶର ଚିତ୍ରକୂଟ ଜିଲ୍ଲାରେ ତୁଳସୀ (ଶବରୀ) ଜଳପ୍ରପାତ ଠାରେ ରାଜ୍ୟର ପ୍ରଥମ ଗ୍ଲାସ୍ ସ୍କାଏୱାଲ୍ ବ୍ରିଜ୍ ନିର୍ମାଣ କରାଯାଉଛି। କୋଦଣ୍ଡ ଜଙ୍ଗଲରେ ଅବସ୍ଥିତ ଏହି ଜଳ ପ୍ରପାତ ଉପରେ ପ୍ରାୟ ୩.୭୦ କୋଟି ଟଙ୍କା ବ୍ୟୟରେ ପ୍ରଭୁ ଶ୍ରରାମଙ୍କ ଧନୁ-ତୀର ଆକାରରେ ଏକ କାଚ ପୋଲ ନିର୍ମାଣ କରାଯାଇଛି।

ପଢନ୍ତୁ ପୁରା ଖବର
    

 

19:36 PM

 

ଦଳ ଏବଂ ମନ୍ତ୍ରୀ ପଦ ଛାଡି଼ଲେ ଆପ୍ ନେତା ରାଜକୁମାର ଆନନ୍ଦ
ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି (ଆପ୍) ସରକାରକୁ ଲାଗିଛି ଜବରଦସ୍ତ ଝଟକା। ମଙ୍ଗଳବାର ଉଭୟ ଦଳ ଏବଂ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ରାଜ କୁମାର ଆନନ୍ଦ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କୁ ପ୍ରାୟ ମାସେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡି଼ଥିଲା। ଇଡି ତାଙ୍କ ସହ ଜଡ଼ିତ ବିଭିନ୍ନ ଠିକଣା ଉପରେ ଚଢାଉ କରିଥିଲା। ଇସ୍ତଫା ଦେବା ପରେ ରାଜକୁମାର ଆନନ୍ଦ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ଦୁର୍ନୀତିରେ ବୁଡ଼ି ରହିଛି। ମୁଁ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସହିତ କାମ କରିପାରିବି ନାହିଁ। 
ପଢନ୍ତୁ ପୁରା ଖବର

18:30 PM

ଲୋକସଭା ନିର୍ବାଚନ ପୂର୍ବରୁ ବିଗିଡ଼ିଗଲା ନିର୍ବାଚନ ଗଣିତ; ସାମ୍ନାକୁ ଆସିଲା ଚମକାଇବା ଭଳି ସର୍ଭେ ରିପୋର୍ଟ
୨୦୨୪ ଲୋକସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ମହାରାଷ୍ଟ୍ର ରାଜନୀତି। କାରଣ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱ ବହନ କରିଥାଏ ଏହି ରାଜ୍ୟ। ସର୍ବାଧକ ଲୋକସଭା ଆସନ ରହିଥିବା ରାଜ୍ୟ ତାଲିକାରେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଛି। ଏହି ରାଜ୍ୟରେ ମୋଟ ୪୮ ଲୋକସଭା ଆସନ ରହିଛି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ପ୍ରାର୍ଥୀ ଘୋଷଣା ସହ ନିର୍ବାଚନ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। 
ପଢନ୍ତୁ ପୁରା ଖବର

17:52 PM

Patanjali Case: ସୁପ୍ରିମକୋର୍ଟ ବାବା ରାମଦେବଙ୍କ କ୍ଷମା ପ୍ରାର୍ଥନାକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ "ଆପଣ ଆମ ନିର୍ଦ୍ଦେଶକୁ ତିନିଥର ଅଣଦେଖା କରିଛ, ତେଣୁ ଏହାର ପରିଣାମ ସାମ୍ନା କରିବାକୁ ପ୍ରସ୍ତୁତ ରୁହ।" ପଢ଼ନ୍ତୁ ପୂରା ଖବର...

17:13 PM

ଇସ୍ତାହାର କମିଟି ଗଠନ କଲା ବିଜେଡ଼ି
୨୦୨୪ ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କରିଛି ବିଜେଡ଼ି। ଯେଉଁଥିରେ ମୋଟ  ୩୮ ଜଣ ସଦସ୍ୟ ଅଛନ୍ତି। ବିଜେଡ଼ି ଇସ୍ତାହାର କମିଟି ୬ ସହ ଅଧ୍ୟକ୍ଷ ଏବଂ ୩ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଠିଚ ହୋଇଛି। ଚନ୍ଦ୍ରଶେଖର ସାହୁ କମିଟି ଅଧ୍ୟକ୍ଷ ହୋଇଥିବା ବେଳେ ଦଳର ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ସହ ଆବାହକ ଦାୟିତ୍ୱରେ ଅଛନ୍ତି।

 

17:03 PM

ନିର୍ବାଚନ କମିଶନଙ୍କ ନୋଟିସ; ହୋର୍ଡିଂ ଉପରେ ରହିବ ମୁଦ୍ରାକର ଓ ପ୍ରକାଶକଙ୍କ ନାଁ
ଭୁବନେଶ୍ୱର: ସହରର ବିଭିନ୍ନ ରାସ୍ତା ଓ ଛକ ସ୍ଥାନମାନଙ୍କରେ ଲାଗୁଥିବା ରାଜନୀତିକ ହୋର୍ଡିଂରେ ଏଣିକି ମୁଦ୍ରାକର ଓ ପ୍ରକାଶକଙ୍କ ନାଁ ରହିବ। ଏହି ସ୍ଥାନମାନଙ୍କରେ ବିନା ପ୍ରକାଶକ ଓ ମୁଦ୍ରାକରଙ୍କ ନାଁରେ ଅନେକ ହୋର୍ଡିଂ ଲଗାଯାଉଥିବାରୁ ନିର୍ବାଚନ କମିଶନ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ସମସ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା କୁହାଯାଇଛି। 

ପଢନ୍ତୁ ପୁରା ଖବର

 

15:48 PM

ସନ୍ଦେଶଖାଲି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ କଲିକାତା ହାଇକୋର୍ଟ 
ବହୁଚର୍ଚ୍ଚିତ ସନ୍ଦେଶଖାଲି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ। ଏହା ସହିତ କଲିକତା ହାଇକୋର୍ଟ ମଧ୍ୟ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ନିଜ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର (ଅପ୍ରେଲ ୧୦) ହାଇକୋର୍ଟ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାରଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ହେବ। ଏହି ମାମଲାରେ ସେଠାକାର ଲୋକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ସେମାନଙ୍କ ଅଭିଯୋଗ ସିଧାସଳଖ କହିପାରିବେ। ଏକ ପୋର୍ଟାଲ୍ ତିଆରି କରିବାକୁ କେନ୍ଦ୍ରୀୟ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସିବିଆଇ ଜମି ଦଖଲ, ବଳାତ୍କାର, କୃଷି ଜମି ହସ୍ତାନ୍ତର ସମେତ ସମସ୍ତ ଅଭିଯୋଗ ଉପରେ ତଦନ୍ତ କରିବ। ଏହି ତଦନ୍ତ କଲିକତା ଉଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ହେବ। 

 

14:32 PM

Odisha News Live Updates: ଝାରସୁଗୁଡାରେ ବିଜେଡିର ପାୱାର ସୋ’
ଝାରସୁଗୁଡାରେ ପାୱାର ସୋ’ କରିଛି ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି । ଏହି ଅବସରରେ ପ୍ରଥମେ ବିଜେଡି ପକ୍ଷରୁ ସରବାହାଲ ହାଇସ୍କୁଲ ପଡିଆରୁ ପୁରୁଣା ବସଷ୍ଟାଣ୍ଡ ଯାଏଁ ଏକ ବିଶାଳ ବାଇକ ରାଲି ଅନୁଷ୍ଠିତହୋଇଥିଲା। ବିଜେଡି ବରଗଡ଼ ଲୋକସଭା ପ୍ରାର୍ଥୀ ପରିଣିତାମିଶ୍ର, ଝାରସୁଗୁଡା ବିଧାୟକ ପ୍ରାର୍ଥୀ ଦୀପାଳି ଦାସ ରାଲିରେ ଉପସ୍ଥିତ ଥିଲେ। ଝାରସୁଗୁଡାବାସୀଙ୍କ ଆଶୀର୍ବାଦରେ ବିଜେଡି ବିଜୟୀ ହେଲେ ବିକାଶର ନନ୍ଦିଘୋଷକୁ ଆଗେଇ ନେବୁ ବୋଲି କହିଛନ୍ତି ଦୀପାଳି। ଅନ୍ୟପଟେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ବାଇକ ରାଲି ସହର ପରିକ୍ରମା କରିଥିଲା। ପରେ ଏକ ଶୋଭାଯାତ୍ରା ସତସଙ୍ଗ ଭବନରୁ ବାହାରି କାଳୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏହି ଶୋଭାଯାତ୍ରାରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ବାଦ୍ୟ ଓ ନୃତ୍ୟ ଦଳ ସାମିଲ ହୋଇଥିଲେ।

14:11 PM

Odisha News Live Updates: ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ
ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଭାସ । ନବୀନ ନିବାସ ଆସି ନିଜ ଇସ୍ତଫା ପତ୍ର ଦେଇଛନ୍ତି ପ୍ରଭାସ ସିଂ । ଗତ ୨୦୧୪ରୁ ୨୦୧୯ ଯାଏଁ ବରଗଡରୁ ବିଜେଡି ସାଂସଦ ଥିଲେ ପ୍ରଭାସ ସିଂ । ତେବେ ୨୦୧୯ରେ ପ୍ରଭାସଙ୍କ ବଦଳରେ ଦଳ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ ଦେଇଥିଲା । ୨୦୧୯ରେ ପ୍ରଭାସ ସହଯୋଗ କରିଥିଲେ ମଧ୍ୟ ପ୍ରସନ୍ନ ପରାଜିତ ହୋଇଥିଲେ ।

14:02 PM

Odisha News Live Updates: କେଜରିୱାଲଙ୍କୁ ଆଶ୍ୱସ୍ତି, ପଦରୁ ହଟାଇବା ଆବେଦନକୁ ଖାରଜ କଲେ କୋର୍ଟ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ପଦରୁ ହଟାଇବାକୁ ଦାବି କରାଯାଇଥିବା ଅନ୍ୟ ଏକ ଆବେଦନକୁ ଖାରଜ କରାଯାଇଛି। ଦିଲ୍ଲୀ ହାଇକୋର୍ଟ ଆବେଦନକାରୀ ସନ୍ଦୀପ କୁମାରଙ୍କୁ ଭର୍ତ୍ସନା କରୁଥିବାବେଳେ ଏହି ଆବେଦନକୁ ଖାରଜ କରିଛନ୍ତି। କୋର୍ଟ ମଧ୍ୟ ଆବେଦନକାରୀଙ୍କ ଉପରେ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ନ୍ୟାୟିକ ବ୍ୟବସ୍ଥାକୁ ପରିହାସ ନକରିବାକୁ କୋର୍ଟ ଚେତାବନୀ ଦେଇଛନ୍ତି।

13:55 PM

Odisha News Live Updates: ବିଜେପିର ଜାରି କଲା ୧୦ମ ପ୍ରାର୍ଥୀ ତାଲିକା
ବିଜେପି ଆଗାମୀ ଲୋକସଭା ନିର୍ବାଚନ ପାଇଁ ୧୦ମ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଚଣ୍ଡିଗଡ଼ରୁ ବିଜେପି ସଞ୍ଜୟ ଟଣ୍ଡନଙ୍କୁ ପ୍ରାର୍ଥୀ କରିଛି। ସେହିପରି ବଲିଆରୁ ନୀରଜ ଶେଖରଙ୍କୁ ଟିକେଟ ଦେଇଛି ଦଳ। ଏସଏସଏ ଆହ୍ଲୁୱାଲିଆଙ୍କୁ ଆସାନସୋଲରୁ ପ୍ରାର୍ଥୀ କରିଛି ବିଜେପି। ଏହି ଆସନରୁ ପବନ ସିଂହ ନିର୍ବାଚନ ଲଢିବାକୁ ପୂର୍ବରୁ ମନା କରିଦେଇଥିଲେ। 

 

 

13:41 PM

Odisha News Live Updates: ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଥିଲେ ବାବା ରାମଦେବ, ଗ୍ରହଣ କଲେନି ସୁପ୍ରିମକୋର୍ଟ
ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଥିଲେ ବାବା ରାମଦେବ। ଗ୍ରହଣ କଲେନି ସୁପ୍ରିମକୋର୍ଟ। ଏପ୍ରିଲ ୨ରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲାକୁ ନେଇ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଥିଲେ। ଆଜି ଏହି ମାମଲାର ଆଉ ଏକ ଶୁଣାଣି ଥିବା ବେଳେ ସୁପ୍ରିମକୋର୍ଟ ଦୁହିଁଙ୍କ କ୍ଷମାକୁ ଗ୍ରହଣ କରିନଥିବା ଜଣାପଡ଼ିଛି। ଏହି ମାମଲାର ଶୁଣାଣି ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ କରିଥିଲେ। ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ, “କ୍ଷମା ପତ୍ର ଆମ ପାଖକୁ ଆସିବା ପୂର୍ବରୁ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହା ପ୍ରଚାର ପାଇଁ ନା ଆମ ପାଇଁ ଦାଖଲ କରାଯାଇଥିଲା?” ଏହା ଶୁଣି ମଣିଷ ଦ୍ବାରା ଭୁଲ ହୁଏ ବୋଲି କହିଥିଲେ ବାବା ରାମଦେବଙ୍କ ଓକିଲ ମୁକୁଲ ରୋହତଗୀ। 

13:35 PM

Odisha News Live Updates: ଶ୍ରୀମନ୍ଦିରରୁ ଉଠ ଓଡ଼ିଆ ସଂକଳ୍ପ ଯାତ୍ରାର ଶୁଭାରମ୍ଭ
ଆଜି ଶ୍ରୀମନ୍ଦିର ନିକଟରୁ ଉଠ ଓଡ଼ିଆ ସଂକଳ୍ପ ଯାତ୍ରାର ଶୁଭାରମ୍ଭ ହୋଇଛି। ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଏକାମ୍ର କ୍ଷେତ୍ରର ଶେଷ ହେବ। ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନ ଏବଂ ଓଡ଼ିଶାର ସୁରକ୍ଷା ଲକ୍ଷ୍ୟ ନେଇ ସକାଳ ୭ଟାରୁ ସିଂହଦ୍ୱାର ସାମ୍ନାରୁ ଏହି ବିରାଟ ପଦଯାତ୍ରା ଆରମ୍ଭ ହୋଇଛି। ପୁରୀ ସହର ତଥା ଓଡ଼ିଶାର ସଚେତନ ନାଗରିକ, ସାମାଜିକ କର୍ମୀ, ଛାତ୍ର ଓ ଯୁବ ପ୍ରତିନିଧି ଏବଂ ସାମ୍ବାଦିକମାନେ ଏହି ପଦଯାତ୍ରାରେ ସାମିଲ୍ ହୋଇଥିବା ଜଣାଯାଇଛି। ୧୪ ତାରିଖ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଦିନ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବ।

13:23 PM

Odisha News Live Updates: ନକ୍ସଲ କାର୍ଯ୍ୟକଳାପ ଉପରେ ପୋଲିସର ନଜର
ନିର୍ବାଚନକୁ ଆଖିରେ ରଖି ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପ ଉପରେ ନଜର ରଖିଛି ପୁଲିସ। ପାଇଥିବା ଗୁଇନ୍ଦା ତଥ୍ୟ ଆଧାରରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଡିଜି ପୁଲିସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମୀକ୍ଷା ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅପରେସନ୍‍ ଅତିରିକ୍ତ ଡିଜି ଦେବଦତ୍ତ ସିଂହ, ଆଇନଶୃଙ୍ଖଳା ଅତିରିକ୍ତ ଡିଜି ସଞ୍ଜୟ କୁମାର ପ୍ରମୁଖ ଏଥିରେ ଉପସ୍ଥିତ ରହିଛନ୍ତି।

13:15 PM

କଟକ ବିଧାୟକଙ୍କୁ ହାଇକୋର୍ଟଙ୍କ ଝଟକା, ତିନିବର୍ଷ କାରାଦଣ୍ଡ କାଏମ
ଭୁବନେଶ୍ୱର: କଟକ- ବାରବାଟି ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍‍ଙ୍କୁ ଆଇନଗତ ଝଟକା ଲାଗିଛି। ଓଡ଼ିଶା ଗୃହ ଏବଂ ଗ୍ରାମାଞ୍ଚଳ ଗୃହ ଉନ୍ନୟନ ନିଗମ ( ଓଏଚଆରଡିସି) ଦୁର୍ନୀତି ମାମଲାରେ ତାଙ୍କ ବିରୁଦ୍ଧରେ ରାୟ ଦେଇଛନ୍ତି ହାଇକୋର୍ଟ। ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିବା ସହ ନିର୍ବାଚନ ମୁହାଁ ମୋକିମ୍‍ଙ୍କୁ  ଶକ୍ତ ଧକ୍କା ଦେଇଛନ୍ତି। ନିମ୍ନ ଅଦାଲତଙ୍କ ରାୟ ଅନୁସାରେ ମୋକିମ୍‍ଙ୍କୁ ତିନିବର୍ଷ ଜେଲ୍‍ ଦଣ୍ଡ ଭୋଗିବାକୁ ହେବ।   ଏହା କେବଳ ମୋକିମଙ୍କୁ ନୁହେଁ, କଂଗ୍ରେସ ଦଳ ପାଇଁ ମଧ୍ୟ ଏକ ଝଟକା ହେବ। କାରଣ କଟକ ବାରବାଟୀ ବିଧାନସଭା ଆସନରେ ୨୦୧୯ ନିର୍ବାଚନରେ ମୋକିମ୍‍ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ। ଏକମାତ୍ର କଂଗ୍ରେସ ବିଧାୟକ ଭାବେ ଉପକୂଳ ଓଡ଼ିଶାରେ ନାଁ ରଖିଥିଲେ। ନିଜର ଲୋକସମ୍ପର୍କ ଲାଗି ପରିଚିତ ଥିବା ମୋକିମଙ୍କ ଆସନରୁ ଏବେ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

13:02 PM

ଦୁଇ-ତିନିଦିନ ଭିତରେ ବିଜେପିର ବକେୟା ପ୍ରାର୍ଥୀ ତାଲିକା  
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆସନ୍ତା ଦୁଇ-ତିନିଦିନ ଭିତରେ ବକେୟା ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲସିଂହ ତୋମାର। ଏହା ସହ ଗୋଟିଏ ସଂରକ୍ଷିତ ଆସନରେ ପ୍ରାର୍ଥୀବଦଳି ପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଏବେ ଦଳ ୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଛି। ଏଥିରେ ୯ ବିଧାନସଭା ଆସନ ଏପରି ରହିଛି ଯେଉଁଠାରେ ପ୍ରାର୍ଥୀଙ୍କ ନାମାଙ୍କନ ୧୮ ତାରିଖ ରହିଛି।   ବିଜେପି ସଂସଦୀୟ କମିଟି ପକ୍ଷରୁ ୧୦୨ ବିଧାନସଭା ଏବଂ ସମସ୍ତ ୨୧ ଲୋକସଭା ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ୧୦୨ ଆସନରେ ପଟାଙ୍ଗୀ ବିଧାନସଭା ଆସନ ଆଦିବାସୀଙ୍କ ଲାଗି ସଂରକ୍ଷିତ ରହିଥିବା ବେଳେ ପ୍ରାର୍ଥୀ ଭୁଲ୍‍ ଚୟନ ହୋଇଥିବା ଜଣାପଡ଼ିଛି। ଏଠାରୁ ଚୈତନ୍ୟ ହନ୍ତାଳଙ୍କୁ ପ୍ରାର୍ଥୀ କରାଯାଇଛି। ତାଙ୍କୁ ପରିବର୍ତ୍ତନ କରାଯାଇପାରେ େବାଲି ସୂଚନା ଦେଇଛନ୍ତି ଶ୍ରୀ ତୋମାର।  ଅପରପକ୍ଷେ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ପତ୍ର ଦାଖଲ ୧୮ ତାରିଖ ଥିବାରୁ ଏହି ଆସନ ଲାଗି ଖୁବ୍‍ ଶୀଘ୍ର ପ୍ରାର୍ଥର ଘୋଷଣା କରାଯିବ। ଏହି ଆସନଗୁଡ଼ିକ ଭିତରେ କୋରାପୁଟ  ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତଗର୍ଗତ ଲକ୍ଷ୍ମୀପୁର, ଜୟପୁର, ରାୟଗଡ଼ା, ବିଷମକଟକ ଆସନ ରହିଛି। ସେହିପରି ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ, ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝରିଗାଁ, ଡାବୁଗାଁ, କୋଟପାଡ଼ ଏବଂ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ କୌଣସି ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ।

 

12:48 PM

ପୁଣି ଅଡୁଆରେ କେଜ୍ରିଓ୍ୱାଲ, ଆଉ ଏକ ଆବେଦନ ଖାରଜ କଲେ କୋର୍ଟ

Arvind Kejriwal: ପୁଣି ଅଡୁଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ (Arvind Kejriwal)। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ତାଙ୍କ ଗିରଫଦାରୀକୁ ବୈଧ ଦର୍ଶାଇଥିଲେ। ଅବକାରୀ ନୀତି ଦୁର୍ନୀତି ମାମଲାର ଗିରଫଦାରୀ ବିରୋଧରେ କେଜ୍ରିୱାଲ କରିଥିବା ଆବେଦନକୁ କୋର୍ଟ ଖାରଜ କରି ତାଙ୍କ ରିମାଣ୍ତକୁ ବେଆଇନ କୁହାଯାଇ ପାରିବ ନାହିଁ ବୋଲି ରୁଲିଂ ଦେଇଥିଲେ । ଏହି ରାୟ ପରେ ବୁଧବାର ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ (Delhi’s rouse avenue court) ତାଙ୍କର ଦ୍ୱିତୀୟ ଆବେଦନକୁ ମଧ୍ଯ ଖାରଜ କରିଛନ୍ତି। ଏହି ଆବେଦନରେ କେଜ୍ରିୱାଲ ସପ୍ତାହରେ ୫ ଥର ନିଜ ଓକିଲଙ୍କୁ ଭେଟିବାକୁ ଅନୁରୋଧ କରିଥିଲେ। ହେଲେ ଏହି ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲ ସପ୍ତାହରେ ଦୁଇ ଥର ତାଙ୍କ ଓକିଲଙ୍କୁ ଭେଟୁଛନ୍ତି। ଅନ୍ୟପକ୍ଷରେ, ହାଇକୋର୍ଟ ଜାମିନ୍ ଆବେଦନ ଖାରଜ କରିବା ପରେ ଏବେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ। ମଙ୍ଗଳବାର ହାଇକୋର୍ଟରେ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଥିଲା ଯେ, ‘ଅବକାରୀ ନୀତି ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ତାଙ୍କର ଅନ୍ୟ ସହଯୋଗୀମାନଙ୍କ ସହ ମିଶି ଷଡ଼୍‌ଯନ୍ତ୍ର କରିଥିଲେ ଓ ପୁରା ମାମଲାରେ ମୁଖ୍ୟ ସେ ସଂଚାଳକ ଥିଲେ। ଏହି ଅପରାଧରୁ ମିଳିଥିବା ଅର୍ଥକୁ ମଧ୍ୟ ସେ ବ୍ୟବହାର କରିବାରେ ସାମିଲ ଥିବା ନେଇ ବଳିଷ୍ଠ ପ୍ରମାଣ ହାସଲ ହୋଇଥିବାରୁ ଇଡି କେଜ୍ରିୱାଲଙ୍କୁ ମାମଲାର ‘କିଙ୍ଗ୍‌ପିନ୍‌’ ବୋଲି କହିଥିଲା’।

12:12 PM

Odisha News Live Updates: କଟକ ଲୋକସଭା ଆସନ: ଦଳବଳ ବନାମ ଲୋକବଳ
ଓଡ଼ିଶା ରାଜନୀତିରେ କଟକ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରି ଆସିଛି। ରାଜ୍ୟର ରାଜଧାନୀ ହେବାଠାରୁ ଆରମ୍ଭ କରି ବାରମ୍ବାର ମୁଖ୍ୟମନ୍ତ୍ରୀ ବି ଦେଇଛି କଟକ। ଭାଇଚାରାର ପ୍ରମୁଖ ଉଦାହରଣ ଦେଉଥିବା ଏହି ସହରରେ ଜାତି ଭିତ୍ତିକ ରାଜନୀତି ପାଇଁ ସ୍ଥାନ ସଂକୀର୍ଣ୍ଣ। ଏଠି ମୁସ୍‍ଲିମ୍‍ ବିଜେପିକୁ ଭୋଟ ଦେବା ଏବଂ କଟ୍ଟର ହିନ୍ଦୁ ବିଜେଡିର ଅନୁସରଣକାରୀ ହେବା ଏକ ସ୍ୱଭାବିକ କଥା। ତା’ ହେଲେ ଏଠି ରାଜନୀତିର ଖିଅ କ’ଣ? କେମିତି ଲଢ଼ାଯାଏ ନିର୍ବାଚନ? ଏଥର ଏ ନିର୍ବାଚନ କେମିତି ଅଲଗା ହେବ? ପଢନ୍ତୁ ପୂରା ରିପୋର୍ଟ...

11:45 AM

ମାଛ ବିକି ମାଲାମାଲ ବେପାରୀ, ଦାମ୍ ଜାଣିଲା ଉଡ଼ିଯିବ ହୋସ୍...

ସମୁଦ୍ରରୁ ଧରା ହୋଇଥିବା ୯ଟି ତେଲିଆ ବୋରେଇ ମାଛର ମୂଲ୍ୟ ୧୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ। ପାରାଦୀପ ମାଛଧରା ବନ୍ଦରରୁ ଯାଇଥିବା ପାର୍ବତୀ ନାମକ ଏକ ମାଛଧରା ବୋଟ୍ ୯ଟି ତେଲିଆ ବୋରେଇ ମାଛ ଧରିଛି। ଯାହାର ଓଜନ ଗୋଟିଏ ଗୋଟିଏ ମାଛ ପ୍ରାୟ ୨୦ କିଲୋରୁ ଉର୍ଦ୍ଧ ହେବ। ଏହିପରି ୯ଟି ମାଛ ଏକ ସଙ୍ଗେ ଜାଲରେ ପଡ଼ିଥିବା ବେଳେ ଜାଲ ମଧ୍ୟ ଭାରି ଓଜନିଆ ହୋଇ ଯାଇଥିଲା । କାଳେ ଜାଲ ଛିଣ୍ଡି ଯିବ ସେନେଇ ବୋଟ୍ ର ଷ୍ଟାଫ୍ ମାନେ ଅତି ଯତ୍ନ ସହକାରେ ଜାଲକୁ ପାଣିରେ ଭସାଇ ଭସାଇ କୂଳକୁ ଆଣିଥିଲେ।ତେବେ ଏହି ମାଛ ପାରାଦୀପ ମାଛଧରା ବନ୍ଦର କୁ ଆସିବା ପରେ ତାକୁ ନିଲାମ କଲାବେଳେ ତାର କିଲୋ ପ୍ରତି ପ୍ରାୟ ୬ ହଜାର ଟଙ୍କା ହୋଇଥିଲା କିନ୍ତୁ ଏହାର ମୂଲ୍ୟ ଆହୁରି ଅଧିକ ଥିବାରୁ ଏହାର ମାଲିକ ଆଉ ପାରାଦୀପରେ ନ ବିକ୍ରୀ କରି ଦୀଘାରେ ବିକ୍ରୀ କରାଯିବ ବୋଲି ସୂଚନା ମିଳିଛି। ତେବେ ଏହି ମାଛ ଯାହା ର କିଲୋ ପ୍ରତି ପ୍ରାୟ ୧୪ ହଜାର ଟଙ୍କାରେ ବିକ୍ରି କରାଯିବ ବୋଲି ଜଣାପଡିଛି। ତେବେ ଏହାକୁ ବିକ୍ରି କରି ମାଲିକ ମାଲା ମାଲ୍ ହୋଇଥିବାରୁ ଏହାର କର୍ମଚାରୀ ଓ ମାଲିକ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

11:32 AM

ରାଷ୍ଟ୍ରୀୟ ନବ ବର୍ଷ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Odisha News: ରାଷ୍ଟ୍ରୀୟ ନବବର୍ଷ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ନବବର୍ଷ ଜୀବନ ଚକ୍ରର ଏକ ପବିତ୍ର ପର୍ବ, ସମୟ ଚକ୍ର ବଦଳିଛି, ଯେଉଁ ସମାଜ, ସଭ୍ୟତା ନିଜ ଅସ୍ମିତାକୁ ନେଇ ଗର୍ବ କରେ ନାହିଁ, ସେ ସଭ୍ୟତାକୁ ଲୋକେ ମନେ ରଖନ୍ତି ନାହିଁ ବୋଲି ଧର୍ମେନ୍ଦ୍ର ପ୍ରଧାନ ମତ ଦେଇଛନ୍ତି । ସେ ଆଉ ମଧ୍ଯ କହିଛନ୍ତି, ଜୀବନଚକ୍ରର ଏକ ପବିତ୍ର ପର୍ବ ହେଉଛି ‘ହିନ୍ଦୁ ନବ ବର୍ଷ’ । ସେବା ମନୋବୃତ୍ତି ନେଇ ଆମେ ପ୍ରତିବର୍ଷ ରାଷ୍ଟ୍ରୀୟ ନବ ବର୍ଷ ପାଳନ କରିବା । ଆମ ସଂସ୍କୃତି, ସଭ୍ୟତା ଓ ପରମ୍ପରା ଅନୁଯାୟୀ ଆମେ ନବବର୍ଷ ପାଳନ କରିବା । ସମ୍ବଲପୁରଠାରେ ଆୟୋଜିତ ରାଷ୍ଟ୍ରୀୟ ନବବର୍ଷ କାର୍ଯ୍ୟକ୍ରମରେ ଏପରି ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ ଆଉ ମଧ୍ଯ କହିଛନ୍ତି, ‘ଦୀର୍ଘ ଦିନ ଧରି ଭାରତ ବିଦେଶୀ ଶକ୍ତିଙ୍କ କବଳରେ ରହିଥିଲା । ଇଂରେଜମାନେ ଆମକୁ ଶାସନ କରୁଥିଲେ । ସେମାନଙ୍କ ପ୍ରଥମ ଲକ୍ଷ୍ୟ ଥିଲା ଆମ ସଂସ୍କୃତି, ସଭ୍ୟତାକୁ ନଷ୍ଟ କରି ଶିକ୍ଷା ପଦ୍ଧତିକୁ ବଦଳାଇବା । ଇଂରେଜ ଶାସନରେ ରହି ଆମେ କିଛି ଦିନ ପାଇଁ ସନାତନ ସଭ୍ୟତାକୁ ଭୁଲି ଯାଇଥିଲୁ । କିନ୍ତୁ ସମୟ ଚକ୍ର ବଦଳିଛି । ୫୦୦ ବର୍ଷ ସଂଘର୍ଷ ପରେ ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ମନ୍ଦିର ସ୍ଥାପନା ହୋଇଛି । ପୁଣି ଥରେ ଆମ ପରମ୍ପରା, ଆମ ସଭ୍ୟତାକୁ ଆମେ ଗର୍ବ କରିବାର ସମୟ ଆସିଛି’ । କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ଯ କହିଛନ୍ତି, ‘ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଅତୀତ, ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରୁଛନ୍ତି । ଏହାକୁ ସାରା ବିଶ୍ୱ ଗ୍ରହଣ କରୁଛି ଏବଂ ସମର୍ଥନ ମଧ୍ୟ ଜଣାଉଛି । ଯେଉଁ ସମାଜ, ସଭ୍ୟତା ନିଜ ଅସ୍ମିତାକୁ ନେଇ ଗର୍ବ କରେ ନାହିଁ, ସେ ସଭ୍ୟତାକୁ ଲୋକେ ମନେ ରଖନ୍ତି ନାହିଁ’।

10:51 AM

Odisha News Live Updates: କାନ୍ନାଡାରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି ମାରି ହତ୍ୟା
ସୋମବାର ଦିନ କାନାଡାର ଦକ୍ଷିଣ ଏଡମନଟନରେ ଗୁଳି ବିନିମୟରେ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ବୋଲି କାନ୍ନାଡାର ଏକ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି। ଏହି ଭାରତୀୟ ମୂଳ ବ୍ୟକ୍ତି ଜଣକ ଏଡମନଟନଭିତ୍ତିକ ଗିଲ୍ ବିଲ୍ଟ ହୋମର ମାଲିକ ବୁଟା ସିଂ ଗିଲ ବୋଲି ଜଣାପଡିଛି। ଏକ ପ୍ରେସ ବିଜ୍ଞପ୍ତିରେ ଏଡମନଟନ ପୁଲିସ କହିଛି ଯେ ଦକ୍ଷିଣ-ପଶ୍ଚିମ ଶାଖା ପାଟ୍ରୋଲିଂ ଅଧିକାରୀମାନେ ଦକ୍ଷିଣ-ପଶ୍ଚିମ କାଭାନାଗ୍ ବଲ୍ଲଭର୍ଡ ଏବଂ ଚେର୍ନିଆକ୍ ୱେ ଅଞ୍ଚଳରେ ଗୁଳି ବିନିମୟ ଘଟିଥିବା ସୂଚନା ଦେଇଛନ୍ତି। ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଦକ୍ଷିଣ-ପଶ୍ଚିମ ଏଡମନଟନରେ ଦୁଇ ଜଣଙ୍କ ମୃତ୍ୟୁ ଘଟଣାର ପୁଲିସ୍‌ ଏବେ ଅନୁସନ୍ଧାନ କରୁଛି।

10:32 AM

Odisha News Live Updates: କମିଶନରେଟ୍‍ ପୁଲିସରେ ଟାଟୁ ମନା, ‘୧୫ ଦିନ ଭିତରେ ଲିଭାଅ ନହେଲେ କାର୍ଯ୍ୟାନୁଷ୍ଠାନ’
ରାଜଧାନୀ ପୁଲିସ କର୍ମଚାରୀଙ୍କୁ ଟାଟୁ ଅଡ଼ୁଆ ହୋଇଛି। ଏହା କମିଶନରେଟ ପୁଲିସ ତଥା ଓଡ଼ିଶା ପୁଲିସର ଗାରିମା କ୍ଷୁର୍ଣ୍ଣ କରୁଛି ବୋଲି ଅନୁଭବ କରିଛି କମିଶନରେଟ ପୁଲିସ। ଏଣୁ ପୁଲିସ ବିଭାଗ ପକ୍ଷରୁ ସମସ୍ତ ପୁଲିସ କର୍ମାଚାରୀଙ୍କୁ ଟାଟୁ ଲିଭାଇବାକୁ ଚରମବାଣୀ ଦିଆଯାଇଛି। ୧୫ ଦିନ ଭିତରେ ହାତ, ମୁହଁ, ବେକ ତଥା ପୋଷାକ ବାହାରେ ଥିବା ଟାଟୁ ନ ଲିଭାଇଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜ୍ଞପ୍ତି ହୋଇଛି। ପଢ଼ନ୍ତୁ ପୂରା ରିପୋର୍ଟ...

10:15 AM

Odisha News Live Updates: ଜହ୍ନରୁ ଆସିବ ମାଟି, ସ୍ପଷ୍ଟ କଲେ ସୋମନାଥ

ଚନ୍ଦ୍ରଯାନ-୩ର ସଫଳତା ପରେ ଏହେ ଚନ୍ଦ୍ରଯାନ-୪କୁ ନେଇ ବଡ଼ ଖବର। ଭାରତର ଚତୁର୍ଥ ମୁନ୍ ମିଶନରେ ଜହ୍ନରୁ ମାଟି ଓ ପଥର ନମୁନା ସଂଗ୍ରହ କରି ପୃଥିବୀକୁ ଆଣିବ ଇସ୍ରୋ। ପୂର୍ବରୁ ଏନେଇ ଚର୍ଚ୍ଚା ହେଉଥିବା ବେଳେ, ଏବେ ଏହାକୁ ସ୍ପଷ୍ଟ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ।ସେ କହିଛନ୍ତି, ୨୦୪୦ ମସିହାରେ ଭାରତୀୟ ମହାକାଶଚାରୀ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହାକୁ ସଫଳ କରିବା ପାଇଁ ହେଲେ, ଆମକୁ ନିରନ୍ତର ବିଭିନ୍ନ ଧରଣର ଅଭିଯାନ କରିବାକୁ ପଡ଼ିବ। ସେ ଦିଗରେ ପ୍ରଥମ ପଦକ୍ଷେପ ହେବ ଚନ୍ଦ୍ରଯାନ -୪, ଯେଉଁଥିରେ ମହାକାଶଯାନକୁ ଚନ୍ଦ୍ରକୁ ପଠାଯିବ ଏବଂ ସେଠାରୁ ନମୁନା ସଂଗ୍ରହ କରି ପୃଥିବୀକୁ ଫେରାଇ ଅଣାଯିବ । ଏଥିପାଇଁ ବର୍ତ୍ତମାନ ଗବେଷଣା ଜାରି ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।

10:07 AM

Odisha News Live Updates: ମୌସୁମୀ ପୂର୍ବରୁ ସମ୍ବଲପୁରରେ ଡପ୍‍ଲର ରାଡାର

ଭୁବନେଶ୍ୱର: ପାଣିପାଗ ସୂଚନାକୁ ଅଧିକ ସକ୍ରିୟ ତଥା ସ୍ଥାନୀୟ କୈନ୍ଦ୍ରିକ କରିବା ପାଇଁ ସମ୍ବଲପୁରରେ ସ୍ଥାପନ ହେବ ଡପ୍ଲର ରାଡାର। ଆସନ୍ତା ୨ରୁ ତିନି ମାସ ଭିତରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛି ଭୁବନେଶ୍ୱସ୍ଥିତ  ଭାରତ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର।  ମିଳିଥିବା ସୂଚନା ଅନୁସାରେ ସମ୍ବଲପୁରଠାରେ  ସି-ବ୍ୟାଣ୍ଡ ଡପ୍ଲର ରାଡାର ସ୍ଥାପନ ହେବ। ଏଥିଲାଗି ଆବଶ୍ୟଞକ ସମସ୍ତ ଯନ୍ତ୍ରାଂଶ ଭୁବନେଶ୍ୱର ପହଞ୍ଚି ସାରିଛି। ଏସବୁ ନିର୍ଦ୍ଧାରିତ ସ୍ଥାନରେ ଲାଗିବା ପରେ ତାହାକୁ ଉପଗ୍ରହ ସହ ସଂଯୋଗ କରାଯିବ। ଏହାମାଧ୍ୟମରେ ସମ୍ପୃକ୍ତ ସ୍ଥାନ ଏବଂ ଆଖପାଖ ଅଞ୍ଚଳରେ ଆକାଶ ଓ ପବନକୁ ଅନୁଧ୍ୟାନ କରିବା ସହଜ ହେବ। ଏହି ଅନୁସାରେ ସ୍ଥାନୀୟ କୈନ୍ଦ୍ରିକ ସଠିକ୍‍ ପୂର୍ବାନୁମାନ କରିବା ପାଣିପାଗ ବୈଜ୍ଞାନିକଙ୍କ ଲାଗି ସହଜ ହେବ। 

09:50 AM

Odisha News Live Updates: ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ କେଜ୍ରିୱାଲ୍‌
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହେବା ପରେ ସେ ଦିଲ୍ଲୀ ହାଇକୋର୍ଟରେ ଗିରଫଦାରୀ ବିରୋଧରେ ଆବେଦନ କରିଥିଲେ। ଚ୍ୟାଲେଞ୍ଜର ଗୋଟିଏ ଦିନ ପରେ ଦିଲ୍ଲୀ ହାଇକୋର୍ଟ ଏହାକୁ ଖାରଜ କରି ଆମ୍ ଆଦମୀ ପାର୍ଟି (ଆପ୍‌) ସୁପ୍ରିମୋଙ୍କୁ ଏକ ବଡ଼ ଧରଣର ଝଟ୍‌କା ଦେଇଛନ୍ତି। ହାଇକୋର୍ଟରୁ ଝଟ୍‌କା ପାଇବା ପରେ କେଜ୍ରିୱାଲ୍‌ ଏବେ ସୁପ୍ରିମ୍‌କୋର୍ଟଙ୍କ ଶରଣରେ ପଶିଛନ୍ତି।

09:24 AM

Odisha News Live Updates: ପୁରୁଣା ବସ୍ ଷ୍ଟାଣ୍ଡର ଆଧୁନିକୀକରଣ ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ। ନୂଆ ବସଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ। ସମଲେଶ୍ୱରୀ ମାର୍କେଟ ସଂଘ ଏହି ବନ୍ଦ ଡାକରା ଦେଇଛି। ନୂଆ ବସଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରାଯାଇଥିବାବେଳେ ପୁରୁଣା ବସଷ୍ଟାଣ୍ଡକୁ ଆଧୁନିକୀକରଣ ଲାଗି ଦାବି କରି ଧାରଣାକୁ ଓହ୍ଲାଇଛନ୍ତି କଣ୍ଟାବାଞ୍ଜି ନଗର କମିଟି ଓ ସମଲେଶ୍ୱରୀ ମାର୍କେଟ କମ୍ପେ୍ଲକ୍ସ କମିଟି। ଶିକ୍ଷାନୁଷ୍ଠାନ ଓ ଜରୁରୀ ସେବାକୁ ଛାଡି ଆଉ ସବୁ ବନ୍ଦ ରହିଛି। ଯାନବାହନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି। ବନ୍ଦ ଯୋଗୁଁ ସାଧାରଣ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

09:09 AM

Odisha News Live Updates: ରୁକୁଣା ରଥଯାତ୍ରା ପ୍ରସ୍ତୁତି: ଚକହାଣ୍ଡି ଓ ଅଖ ମଝିରେ ଲାଗିଲା ପଞ୍ଚାଣ
ଆଜି ପୋଡ଼ାକୁଟାର ପାଉଁଣ ଓ ଜଡ଼ାତେଲରେ ପ୍ରସ୍ତୁତ ‘ପଞ୍ଚା‌ଣ’କୁ ରଥ ଚକର ହାଣ୍ଡି ଓ ଅଖ ମଝିରେ ଦିଆଯାଇଥିଲା। ଏହାପରେ ସମସ୍ତ ‌ରଥ ଗଢ଼ୁଥିବା ସେବାୟତ ଏକାଠି ହୋଇ ପଞ୍ଚାଣ ମାଡ଼ଦେଇ ଚକ ସହ ଅଖକୁ ଭଲ ଭାବେ ସଂଯୋଗ କରିଥିଲେ। ୪ ଚକ ଠିକ୍‌ ଭାବେ ରହିବା ପାଇଁ ୪ଟି ‘କୁଡ଼ୁକା’ ଲଗାଯାଇଥିଲା। ଏଥିସହ ୨ଟି ଘରଭଙ୍ଗା, ୪ଟା ପାର୍ଶ୍ବଦଣ୍ଡ, ପଟାଗୁଜ, ବଡ଼ଛନ୍ଦା ଓ ସାନଛନ୍ଦା ସହ ଗତକାଲି ଲଗାଯାଇଥିବା ୪ ନାହାକା ଅଗ୍ରଭାବରେ ‘ଟଣଖା’ ଲଗାଯାଇଥିଲା। ଅନ୍ୟପଟେ ରଥଖଳାରେ ପ୍ରଥମ ଭୂଇଁ ଓ ଦ୍ବିତୀୟ ଭୂଇଁ ଗଢ଼ା ମଧ୍ୟ ଶେଷ ହୋଇଛି। ଆସନ୍ତାକାଲି ଦୁଇ ଭୂଇଁ ରଥ ଉପରକୁ ଉଠିବ।

08:48 AM

Odisha News Live Updates: କେଜ୍ରିୱାଲ ନିରାଶ, ଜେଲରୁ ମୁକୁଳିବାକୁ ମିଳିଲାନି ଅନୁମତି
ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିନି କୌଣସି ଆଶ୍ୱସ୍ତି। ଇଡି ଗିରଫଦାରୀ ଓ ରିମାଣ୍ଡ ବିରୋଧରେ ସେ ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନ ଖାରଜ ହୋଇଯାଇଛି। ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କ ଗିରଫଦାରୀକୁ ଯଥାର୍ଥ ବୋଲି କହିବା ସହ ତାଙ୍କର ସମସ୍ତ ଯୁକ୍ତିକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଇଡି ତଦନ୍ତ ବେଳେ ପାଇଥିବା ସାମଗ୍ରୀ ଗିରଫଦାରୀ ପାଇଁ ଯଥେଷ୍ଟ ବୋଲି କୋଟଆ କହିଛନ୍ତି। 

08:34 AM

Odisha News Live Updates: ଦୁଇ ବାଇକ ମୁହାଁମୁହିଁ ଧକ୍କା; ୩ ମୃତ
କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଗାଗନାପୁର ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିତବା ବେଳେ ୪ଜଣଙ୍କ ଅବସ୍ଥା ଗୁରୁତର ଆହତ ରହିଛି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକମାନେ ଧନପୂର୍ ଓ ସାନପିଣ୍ଡାପଦର୍ ଅଞ୍ଚଳର ବୋଲି ଜଣାଯାଇଛି।

08:15 AM

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର। ଲିଙ୍କରେ କ୍ଲିକ କରି ପଢ଼ିନିଅନ୍ତୁ ପୂରା ରିପୋର୍ଟ...

08:01 AM

Odisha News Live Updates: ଭୁବନେଶ୍ବରରେ ଖସିଲା ପେଟ୍ରୋଲ-ଡିଜେଲ ଦର
ଏପ୍ରିଲ ୧୦ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ବୁଧବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ରହିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ପଢ଼ନ୍ତୁ ପୂରା ରିପୋର୍ଟ...

07:36 AM

Odisha News Live Updates: ଖଡି଼ଆଳ ସହରରେ ଜଙ୍ଗଲି ଭାଲୁ ପଶି ଆଥିବା ବେଳେ ସହରବାସୀ ଆତଙ୍କିତ

ନୂଆପଡ଼ା ଜିଲ୍ଲା ଖଡି଼ଆଳ ସହରରେ ଜଙ୍ଗଲି ଭାଲୁ ପଶି ଆଥିବା ବେଳେ ସହରବାସୀ ଆତଙ୍କିତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।  ତୁରନ୍ତ ଭାଲୁ କୁ ଉଦ୍ଧାର ପାଇଁ ଅନୁରୋଧ କରି ଖଡିଆଳ ବନଖଣ୍ଡ ବିଭାଗକୁ ସୂଚନା ପ୍ରଦାନ କରିଛନ୍ତି। ସାଧାରଣ ନାଗରିକ ମଧ୍ୟ ସଚେତନ ଏବଂ ସତର୍କ ରହିବାକୁ ଅନୁରୋଧ କରାଯାଉଛି। ଖଡିଆଳରାଜା ପଡ଼ାଠାରେ ଭାଲୁଥିବା ରାତ୍ରୀରେ ଥିବା ଜଣାପଡିଛି। ନିଲଜି ବନ୍ଧ ଠାରୁ ନୁଆବନ୍ଧ ଠାରେ ଥିବା ଜୀମ ଆଡ଼କୁ ଭାଲୁ ଯାଇଥିବା ଜଣାପଡିଛି। ସହର ଏବଂ ପାଖାପାଖି ଅଞ୍ଚଳବାସୀ ବିଶେଷ ସତର୍କ ରହନ୍ତୁ।

07:34 AM

Odisha News Live Updates: ଏବର୍ଷ ସ୍ୱାଭାବିକ ବର୍ଷା: ସ୍କାଏମେଟ
ଏ ବର୍ଷ ଦେଶରେ ସ୍ୱାଭାବିକ ବର୍ଷା। କିନ୍ତୁ ଓଡ଼ିଶାରେ କମ ବର୍ଷିବ ମୌସୂମୀ। କିଛି ଏଭଳି ଆକଳନ କରିଛି ଘରୋଇ ପାଣିପାଗ ପୂର୍ବାନୁମାନ ସଂସ୍ଥା ସ୍କାଏମେଟ। ସ୍କାଏମେଟ କହିଛି କି ଦେଶର ପ୍ରାୟ ୭୦ ପ୍ରତିଶତ ଅଞ୍ଚଳରେ ଚଳିତ ବର୍ଷ ସ୍ୱାଭାବିକ ରହିବ। ୫ ପ୍ରତିଶତ ମାତ୍ର କମ କିମ୍ବା ବେଶୀ ବର୍ଷା ହୋଇପାରେ। ଜୁନରୁ ସେପ୍ଟେମ୍ବର ଅବଧି ମଧ୍ୟରେ ଏଲପିଏ ହେଉଛି ୮୬୮.୬ ମିମି। ଏଲପିଏର ୯୬ ରୁ ୧୦୪ ପ୍ରତିଶତ ବୃଷ୍ଟିପାତକୁ ସ୍ୱଭାବିକ ବର୍ଷା ଭାବେ ଧରାଯାଏ। ପଢନ୍ତୁ ପୂରା ରିପୋର୍ଟ...

07:23 AM

Odisha News Live Updates: ବନକଲାଗୀ ନୀତି ପାଇଁ ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ
ଆଜି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହେବ। ଚୈତ୍ର ଶୁକ୍ଲ ଦ୍ବୀତିୟା ତିଥି ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବୀତିୟ ଭୋଗ ମଣ୍ତପ ଶେଷ ହେବା ପରେ ସଂନ୍ଧ୍ୟା ୬ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଖାର କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପଢନ୍ତୁ ପୂରା ରିପୋର୍ଟ...

07:19 AM

Odisha News Live Updates: ଖଣିରେ ଓଲଟିଲା ବସ୍
ଛାତିଥରା ଦୁର୍ଘଟଣା ।  ବସ ଓଲଟି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । ଛତିଶଗଡ ଦୁର୍ଗ ଜିଲ୍ଲାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ମୃତାହତମାନେ ଶ୍ରମିକ ହୋଇଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ପଢନ୍ତୁ ପୂରା ରିପୋର୍ଟ...

07:17 AM

Odisha News Live Updates: ଆଜି ୯ ଜିଲ୍ଲାରେ ବର୍ଷା ସମ୍ଭାବନା
ରାଜ୍ୟବାସୀଙ୍କୁ ତାତିରୁ ଆଶ୍ବସ୍ତି ଦେଇଛି କାଳବୈଶାଖି ଜନିତ ବର୍ଷା। ଲଗାତର ଦ୍ବୀତିୟ ଦିନରେ ରାଜ୍ୟରେ ଦିନ ତାପମାତ୍ରା ୪୦  ଡିଗ୍ରୀରୁ କମ୍ ରେକର୍ଡ଼ ହୋଇଛି।  ଆଞ୍ଚଳିକ ପାଣିପାଗ କେନ୍ଦ୍ରର ରିପୋର୍ଟ ମୁତାବକ  କାଳବୈଶାଖି  ଓ ମେଘୁଆ ପାଗ ଲାଗି ରାଜ୍ୟ ତାପମାତ୍ରା ସ୍ବାଭାବିକ୍ ଠାରୁ ୩ରୁ ୧୨ ଡିଗ୍ରୀ କମ୍ ରେକର୍ଡ଼ ହୋଇଛି। ପଢନ୍ତୁ ପୂରା ରିପୋର୍ଟ...

07:14 AM

Odisha News Live Updates: ପଢିନିଅନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୧୦ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରାଶିଫଳ

07:13 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।